ଭୁବନେଶ୍ୱର,୫/୧ : ଆସନ୍ତା ୬ ତାରିଖରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ରେଳ, ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ । ତାଙ୍କ ଗସ୍ତ ସମୟରେ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପର ହେବ ଶୁଭାରମ୍ଭ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଆସନ୍ତା ୬ ତାରିଖ ସନ୍ଧ୍ୟା ୫ଟା ୪୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ବାହାରି ୬ଟା ସୁଦ୍ଧା ଭୁବନେଶ୍ୱରରେ ଥିବା ବିଏସ୍ଏନ୍ଏଲ୍ ଭବନରେ ପହଞ୍ଚି ରାଜ୍ୟରେ ମୋବାଇଲ୍ ନେଟୱାର୍କ ସୁବିଧା ନଥିବା ଗାଁଗୁଡ଼ିକୁ କିଭଳି ଯୋଗାଯୋଗ ହେବ ଆଲୋଚନା କରିବେ । ବିଶେଷକରି ୩୯୩୩ଟି ଗାଁକୁ କିଭଳି ମୋବାଇଲ୍ ଟାୱାର୍ ବସାଇ ଯୋଗାଯୋଗ ସୁବିଧା ପହଞ୍ଚିପାରିବ ସେନେଇ ବିଚାର ବିମର୍ଶ କରିବେ । ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଏ ନେଇ ଆଲୋଚନା ହେବ । ଏହି ଅବସରରେ ୨୦୭ଟି ନୂଆ ପୋଷ୍ଟ୍ ଅଫିସ୍ ଖୋଲିବ । ପରେ ସନ୍ଧ୍ୟା ୭ଟା ୪୫ରେ ପୁରୀରୁ ଛାଡ଼ିବାକୁ ଥିବା ତପସ୍ୱିନୀ ଏକ୍ସପ୍ରେସରେ ରାଜଧାନୀ କୋଚ୍ ସୁବିଧାକୁ ଭିଡିଓ ଲିଙ୍କ୍ ଜରିଆରେ ଆରମ୍ଭ କରିବେ । କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର ରେଳ ବିଶ୍ରାମାଗାରରେ ରାତ୍ରୀଯାପନ କରିବେ ।
୭ ତାରିଖ ସକାଳେ ଭୁବନେଶ୍ୱରରୁ ବାହାରି କଟକ ଚଣ୍ଡୀ...
more... ମନ୍ଦିରରେ ୮ଟା ୩୦ ସୁଦ୍ଧା ପହଞ୍ଚିବେ । ଚଣ୍ଡୀମନ୍ଦିରରେ ମା’ଙ୍କ ଦର୍ଶନ ସାରି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍ସ ଆଣ୍ଡ ରିସର୍ଚ୍ଚ(ଜିମସାର୍)ରେ ସକାଳ ୯ଟାରେ ମୋବାଇଲ୍ ହେଲଥ୍ ୟୁନିଟ୍ର ଆରମ୍ଭ କରିବେ । ସେହିପରି ୯ଟା୩୦ରେ କଟକ ରେଳଷ୍ଟେସନର ଅନୁଧ୍ୟାନ କରିବା ସହିତ ୧୦ଟାରେ ଦ୍ୱିତୀୟ ପ୍ରବେଶ ପଥରୁ ଶିଳାନ୍ୟାସ କରିବେ । ସେଠାରୁ ବାଲେଶ୍ୱର ଅଭିମୁଖେ ଟ୍ରେନ୍ରେ ଯାତ୍ରା କରିବେ । ୧୨ଟା ୩୦ରେ ବାଲେଶ୍ୱର ଷ୍ଟେସନରୁ ଭୁବନେଶ୍ୱର ଅଭିମୁଖେ ପ୍ରଥମ ମେମୁ ଟ୍ରେନ୍ର ଶୁଭାରମ୍ଭ କରିବେ ।
ଅପରାହ୍ଣ ୧ଟା ୩୦ରେ ନୀଳଗିରିରେ ବାଲେଶ୍ୱର-ନୀଳଗିରି ଯାତ୍ରୀବାହୀ ଟ୍ରେନ୍ ଲାଇନର ଶିଳାନ୍ୟାସ କରିବେ । ସେହିଦିନ ବସ୍ତା ଷ୍ଟେସନରେ ନୂଆ ଷ୍ଟେସନ୍ ବିଲ୍ଡିଂ ଓ ଭଦ୍ରକ-ଖଡ଼ଗପୁର ତୃତୀୟ ରେଳ ଲାଇନର ଶୁଭାରମ୍ଭ କରିବେ । ଅପରାହ୍ଣ ୪ଟା ୫୦ରେ ଜଳେଶ୍ୱର ଷ୍ଟେସନରେ ନୂଆ ବିଲ୍ଡିଂର ଶିଳାନ୍ୟାସ କରିବେ । ସେଠାରୁ ୫ଟା ୧୫ରେ ଭୁବନେଶ୍ୱର ଅଭିମୁଖେ ଟ୍ରେନ୍ରେ ଯାତ୍ରା କରିବେ । ରାତି ୯ଟା ୩୫ରେ ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଫେରିଯିବେ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀଙ୍କ ଗସ୍ତ ସମୟରେ ବରିଷ୍ଠ ସ୍ୱତନ୍ତ୍ର ସେବା ଅଧିକାରୀ ବେଦ ପ୍ରକାଶ, ଏନ୍ସି ଝିଙ୍ଗଟା, ବିକ୍ରାନ୍ତ ଶର୍ମା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।